Unknown

 

 

 

 

 

 

 

 

 

 

 

ଘର ଭିତରେ କଙ୍କାଳ

ପ୍ରମୋଦ କୁମାର ମହାପାତ୍ର

 

ଘର ଭିତରେ କଙ୍କାଳ

 

କେଉଁ କାଳରୁ ଗୋବରୀ ନଦୀ ଅଙ୍କାବଙ୍କା ହୋଇ ଅନେକ ଗାଁ ଗଣ୍ଡା ଦେଇ ବହିଯାଉଛି ତାର ହିସାବ ନାହିଁ । ମଧୁ ଅଜା କୁହନ୍ତି କୁଆଡ଼େ ତାଙ୍କ ଅଜାଙ୍କଠାରୁ ସେ ଶୁଣିଥିଲେ ଯେ ପୂର୍ବେ ଏହି ନଈ ଏକ ଯୋର ଥିଲା । ଲୋକେ ଏହା ଭିତରେ ପଶି ଯିବା ଆସିବା କରି ପାରୁଥିଲେ । ମାତ୍ର ଗୋଟିଏ ସନ କୁଆଡ଼େ ପ୍ରବଳ ବଢ଼ି ମାଡ଼ି ଆସିଲା । କେତେ ଗାଁ ଗଣ୍ଡା ଭାସିଗଲା । ଏହି ଛୋଟିଆ ଯୋର ବଢ଼ି ପାଣିର ପ୍ରଖର ସ୍ରୋତ ଯୋଗୁ ଖାଲୁଆ ଓସାରିଆ ହୋଇଗଲା । ସେହିଦିନଠାରୁ ଏହା ଏକ ନଈରେ ପରିଣତ ହୋଇଗଲା । ଏବେ ନଈରେ ଅକାତକାତ ପାଣି । ନଈର ଗଭୀର ଜଳରେ ଚକାଭଉଁରୀ ବୁଲେ । ବେଳେ ବେଳେ ବୁଲି ବୁଲି କୁଟା, କାଠି, ଦଳ ଯାହା ପାଏ ତାକୁ ବୁଲାଇ ବୁଲାଇ ପାଣି ଭିତରକୁ ନେଇ ମାଡ଼ିଦିଏ ।

 

Image

 

ଗୋବରୀ ନଦୀ ମାଇଲ ମାଇଲ ବାଟ ବହିଯାଇ କୁଆଡ଼େ ଜମ୍ବୁ ଦ୍ୱୀପ ନିକଟରେ ସମୁଦ୍ରରେ ମିଶିଛି । ବର୍ଷା ଦିନେ ଏହାର ବକ୍ଷ ଫୁଲି ଉଠେ କିନ୍ତୁ ଖରାଦିନ ହେଲେ ଶୁଖିଯାଏ । କେତେ ଗାଁ ଗଣ୍ଡା, ଜଙ୍ଗଲ, ମଶାଣୀ କୂଳ ଦେଇ ଏହି ନଈ ବହି ଯାଇଛି ତାର ହିସାବ କେହି ରଖି ନାହାନ୍ତି ।

 

ବଗପାଟିଆ ରାସ୍ତା ଦେଇ ଗଲେ ଗୋବରୀ ନଈ ସାପ ପରି ବଙ୍କା ହୋଇ ବହି ଯାଇଥିବାର ଦେଖାଯାଏ । କିଛିଦୂର ରାସ୍ତାରେ ଯାଉଥିବା ବାଟୋଇ ଏହି ନଦୀର ରୂପ ଦେଖିପାରନ୍ତି ମାତ୍ର ରାସ୍ତା ଲମ୍ବି ଲମ୍ବି ଯିବାବେଳେ ଗୋବରୀ ନଦୀ ସମସ୍ତଙ୍କ ଆଖି ଆଗରୁ ଲୁଚିଯାଏ । ମଝିରେ ମଝିରେ ଏହା ରାସ୍ତାକୁ ଅଳ୍ପ ଅଳ୍ପ ଦେଖାଯାଏ ତ କିଛି ଦୂରରେ ବହି ଯାଉଥିବାର ଦେଖାଯାଏ । ସତେ ଯେମିତି ଗୋବରୀ ନଈ ଲୁଚୁକାଳି ଖେଳ ଖେଳୁଥାଏ । ବଗପାଟିଆ ରାସ୍ତାର କଳାପୋଲ ସବୁଠାରୁ ଭୟଙ୍କର ସ୍ଥାନ । କାହିଁ କେତେ କାଳରୁ ଏହି ପୋଲ ସମସ୍ତଙ୍କ ଆଗରେ ଏକ ବିପଦ ପୂର୍ଣ୍ଣ, ଭୂତ କୋଠି ରୂପେ ପରିଚିତ ହୋଇଆସିଛି।’’

 

ମୁଖ୍ୟ ରାସ୍ତାରେ କାହିଁ କେଉଁ ଅମଳରୁ ଏକ ଛୋଟ ଯୋର ଉପରେ ଏହି କଳାରଙ୍ଗର ପୋଲଟିଏ ତିଆରି ହୋଇଛି । ନିକଟରେ ଘଞ୍ଚ କିଆବୁଦା । ଆଉ ସେଠାରୁ ଲମ୍ବି ରହିଛି ଗହଗା ପାଟ । ପାଖରେ ଗାଁ ଗଣ୍ଡା ନାହିଁ । ଉଦୁଉଦିଆ ଖରାବେଳେ ଓ ରାତିରେ ଏପରିକି ସକାଳ ପହରୁ ମଧ୍ୟ ଏଠାରେ ଭୂତ ଭୟ ଦେଖାଯାଏ । ଏହି ରାସ୍ତାରେ ଯାଉଥିବା ବାଟୋଇଟିଏ ଏକୁଟିଆ କେବେ ବି ଯିବାକୁ ସାହାସ କରେ ନାହିଁ । ଦୁଇ ତିନି ଜଣ ବାଟୋଇ ଏକାଠି ଗଲେ ମଧ୍ୟ ଭୟରେ ଅନେକ ସମୟରେ ବେହୋସ ହୋଇ ଯାଆନ୍ତି । ଭୂତ ସେମାନଙ୍କର ସମସ୍ତ ଜିନିଷପତ୍ର ନେଇ ଖାଇଦିଏ । ମାତ୍ର ସେମାନଙ୍କୁ ଜୀବନରେ ମାରେ ନାହିଁ । ଗାଁ ଗହଳରେ ସେହି କଳାପୋଲ ଭୂତ ମୁହଁରୁ ବର୍ତ୍ତି ଆସିଥିବା ଅନେକ ଲୋକଙ୍କ ଠାରୁ ଭୂତ ବିଷୟରେ କେତେ କାହାଣୀ ଶୁଣାଯାଏ ।

 

Image

 

ଥରେ ମଦନା ଅଜା ତାଙ୍କ ଯୁବକ ଅବସ୍ଥାରେ ଏହି ଭୂତକୁ ସାମନା କରିବାକୁ ଯାଇ କିପରି ହଇରାଣ ହୋଇଥିଲେ ତାହା ସନ୍ଧ୍ୟାହେଲେ ତାଙ୍କ ନାତି ନାତୁଣୀଙ୍କ ଆଗରେ କହନ୍ତି । ନାତି ଏଣ୍ଡୁଅ ବଡ଼ ଦୃଷ୍ଟ । କିନ୍ତୁ ଅଜାଙ୍କଠାରୁ ଏହି ଭୂତଗପ ଶୁଣି ସେ ଭୟରେ ଛାନିଆଁ ହୋଇଯାଏ । ଏକୁଟିଆ ମୁହଁ ଅନ୍ଧାରରେ ଯିବାକୁ ସାହସ କରେ ନାହିଁ । ମା’ର କାନି ଧରି ଚାଲେ । ସବୁଆଡ଼େ ଯେପରି ଭୂତ ଠିଆହୋଇ ରହିଛନ୍ତି, ଏପରି ତାକୁ ଜଣାପଡ଼େ । ଅଜା ବନାଇ ଚୁନାଇ ନିଜେ ଭୂତ ସହ କିପରି ମୁହାଁମୁହଁ ହୋଇଥିଲେ ତାହା ବର୍ଣ୍ଣନା କରନ୍ତି । ନାତି ନାତୁଣୀ ସବୁ ରାତିରେ ଏଗପ ଶୁଣି ଶୋଇଥିବା ବେଳେ ଭୟରେ ବିଳିବିଳେଇ ଉଠନ୍ତି । ଅନେକେ ପିଲାଟି ଦିନରୁ ଡରକୁଳା ହୋଇଯାଆନ୍ତି । ସେମାନଙ୍କ ମନରୁ ସାହାସ ଲୋପ ପାଇଯାଏ । ଯେ କୌଣସି କାମ କରିବାକୁ ସେମାନେ ଆଗେଇ ପାରନ୍ତି ନାହିଁ ।

Image

ଅଜା କହନ୍ତି—ସେ କୁଆଡ଼େ ଦିନେ ପାଖ ହାଟରୁ ସଉଦା ଧରି କଳାପୋଲ ବାଟଦେଇ ଫେରୁଥିଲେ । ଛାତିକୁ ଦମ୍ଭ କରି ଫେରୁଥାନ୍ତି, ଏକୁଟିଆ । ଆଗକୁ ପଛକୁ ଗହଗା ପାଟ । କଳାପୋଲ ନିକଟ ହେଲା । ଦିନବେଳା । ଅଜାଙ୍କ ହାତରେ ଥାଏ ଏକ ଗଣ୍ଠିଆ ବାଉଁଶମୂଳୀ । ଅଜା ମନେ ମନେ ଭାବୁଥାନ୍ତି ଆଜି ଭୂତ ବାହାରିଲେ ଏହି ବାଉଁଶ ମୂଳୀରେ ତାକୁ ଶକ୍ତ ପାହାରେ ଦେବେ । ଯୁବକ ବେଳ । ମନରେ ସାହସ ଥାଏ । ଅଜା ଛାତି ଦମ୍ଭ କରି ଗୀତ ଗାଇ ଗାଇ ଆଗେଇ ଚାଲିଥାନ୍ତି । କଳାପୋଲ ନିକଟ ହେଲା । ଅଜା ଦେଖିଲେ ଯେ ରାସ୍ତାର ଦୁଇକଡ଼ରେ ଥିବା କିଆବୁଦା ଆସ୍ତେ ଆସ୍ତେ ହଲିଲା । ଅଜା ସେ ଆଡ଼କୁ ଚାହିଁଲେ । କାହିଁ ! ପବନ ତ ହେଉନାହିଁ ! କିଆବୁଦା ହଲିଲା କାହିଁକି ? ହଠାତ୍‌ କିଆବୁଦା ଭିତରୁ ଏକ କିଳିକିଳା ରଡ଼ି ଶୁଭିଲା । ଏହି ରଡ଼ି ଶୁଣି ଅଜାଙ୍କ ପିଳେହି ପାଣି । ତଥାପି ସେ ସାହସ ଧରି ଚାଲିଥାନ୍ତି । ଆସୁ କିଏ ଆସୁଛି ତାଙ୍କ ପାଖକୁ । ହଠାତ୍‌ ଏକ ଅଘଟଣ ଘଟିଲା । ଅଜାଙ୍କ ଆଖି ଆଗରେ ଗୋଟିଏ ବିରାଟ ବଡ଼ କିଆବୁଦା ଆପଣା ଛାଏଁ ମଣିଷଙ୍କ ପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବାର ଦେଖାଗଲା । ଅଜାଙ୍କୁ ଜଣାପଡ଼ିଲା ଯେ ସେ ଯେଉଁବାଟ ଦେଇ ଯିବେ ଠିକ୍‌ ସେହି ରାସ୍ତା ଆଡ଼କୁ କିଆବୁଦା ଆଗେଇ ଚାଲିଛି । ଅଜାଙ୍କ ଆଖି ବାଧ୍ୟ ହୋଇ ସେଆଡ଼କୁ ଗଲା । କିଆର ସରୁ ପତ୍ର ଭିତରେ ସେ ଯାହା ଦେଖିଲେ ସେଥିରେ ତାଙ୍କ ଦେହରୁ ଗୋଟାପଣ ଝାଳ ବହିଗଲା । ମଣିଷର କଙ୍କାଳଟାଏ କିଆବୁଦା ସେପଟରେ ହାତ ହଲାଉଥାଏ । ହଠାତ୍‌ ପୁଣି ସେହି ଭୟଙ୍କର ରଡ଼ି।

 

ଅଜାଙ୍କ ପୂର୍ବ ସାହାସ କୁଆଡ଼େ ଗଲା । ସେ ଏସବୁ ଅଦ୍ଭୁତ ଭୟଙ୍କର ଦୃଶ୍ୟ ଦେଖି ହାଟରୁ ଆଣିଥିବା ସଉଦା ପତ୍ର ଫୋପାଡ଼ି ଦେଇ ଜୀବନ ବିକଳରେ ଧାଇଁଲେ । ତାଙ୍କର ବାଉଁଶମୂଳୀ ବାଡ଼ିଟା କେଉଁଆଡ଼େ ଗଲା, ଜଣାପଡ଼ିଲା ନାହିଁ । ଅଜା ଗହଗା ପାଟର ହଳବିଲରେ ଧାଇଁଲେ । ଟେକା ବାଜି ତାଙ୍କ ଗୋଡ଼ରୁ ରକ୍ତଧାର ବହିଲା । ଝାଳ ନାଳ ହୋଇ ଅଜା ଏକ ମୁହାଁ ହୋଇ ଧାଇଁଥାନ୍ତି । ପଛରୁ ସେହି କିଳକିଳା ରାବ ଶୁଭୁଥାଏ । କିଛି ବାଟ ଆସିବା ପରେ ଅଜା ଚେତା ହରାଇ ପଡ଼ିଗଲେ । ଚେତା ଫେରିବାବେଳକୁ ମାନପୁର ଗ୍ରାମରେ ସେ ଗୋବିନ୍ଦ ରାଉତଙ୍କ ଘରେ ଥିବାର ଦେଖିଲେ । ଗୋବିନ୍ଦ, ଅଜାଙ୍କର ସଂପର୍କୀୟ ଶଳା । ମାନପୁର ପୁଣି ଅଜାଙ୍କ ଶଶୁର ଘର । ଶଶୁର ଘରେ ଜ୍ୱାଇଁଙ୍କ ବୀରତ୍ୱ କାହାଣୀ ଶୁଣି ଶଳା ଓ ଅନ୍ୟମାନେ ତାଙ୍କୁ ଟାହିଟାପରା କଲେ। ଅଜା କାହାକୁ କିଛି ନକହି ଖସି ଚାଲି ଆସିଲେ । ଆଜିଯାଏ ସେ କଳାପୋଲ ବାଟଦେଇ କେବେ ବି ଏକୁଟିଆ ଯିବାକୁ ସାହାସ କରନ୍ତି ନାହିଁ ।

 

ଏହି କଳାପୋଲଠାରୁ ପୂର୍ବଦିଗକୁ ଚାହିଁଲେ ଗହଗା ପାଟ ପରେ ଦିଗ୍‍ବଳୟରେ ଯେଉଁ ଗାଁଟି ଦେଖାଯାଉଛି ତା ନାଁ କୁସୁନପୁର । ପୂର୍ବଦିଗରେ ସକାଳୁ ସୂର୍ଯ୍ୟ ଏହି ଗାଁର ମୁଣ୍ଡ ଦେଇ ଉଠନ୍ତି-। ଗୋବରୀ ନଦୀ କାହିଁ କେତେ ବାଟ ବୁଲିବା ପରେ ପୁଣି ଏହି କୁସୁନପୁର ଗାଁ ନିକଟରେ ପହଞ୍ଚି ଏହି ଗାଁ କୂଳେ କୂଳେ ପ୍ରବାହିତ ହୋଇଯାଇଛି । ଗାଁରେ ପହଁଞ୍ଚିବାକୁ ହେଲେ ଦୁଇ ମାଇଲ ପାଦରେ ନଈ କୂଳେ କୂଳେ ଯିବାକୁ ହୁଏ । ନଦୀକୂଳ ରାସ୍ତା ଅଣଓସାରିଆ । ପୁଣି କିଛି ବାଟ ଗଲାପରେ ଏହି ରାସ୍ତାକଡ଼ରେ ରହିଛି ଗାଁ ମଶାଣୀ । ମଶାଣୀକୁ ଲାଗି ବିରାଟ ଝଙ୍କାଳିଆ ବରଗଛଟିଏ ଓ ତା ନିକଟରେ ବଡ଼ ବଡ଼ ୧୦/୧୨ଟା ତାଳଗଛ । ଏହି ସ୍ଥାନ ବି ଏକ ଭୟଙ୍କର ଅଞ୍ଚଳ ରୂପେ ବହୁ ଦିନରୁ ସମସ୍ତଙ୍କ ନିକଟରେ ପରିଚିତ ହୋଇ ଆସିଛି । ଏହି ଗାଁରେ ଗୋକୁଳର ଘର ।

 

ଗୋକୁଳ ଜଣେ ଶିକ୍ଷିତ ପିଲା । ଗାଁର ଏକାମାତ୍ର ମାଟ୍ରିକ ପାଶ୍‌ କରିଥିବା ପିଲା । ଏବେ ସେ କଟକରେ ଡାକ୍ତରୀ ପଢ଼ୁଛି । ଗାଁ ଲୋକଙ୍କ ମନରେ ରହିଥିବା ଭୂତଭୟ ବିଷୟରେ ଗୋକୁଳ ଅନେକ ଦିନରୁ ବହୁ କଥା ଶୁଣେ । ସନ୍ଧ୍ୟାହେଲେ କୌଣସି ଲୋକ କିଭଳି ଏକୁଟିଆ ନଦୀକୂଳକୁ ମଶାଣୀଦେଇ ଯିବାକୁ ସାହସ କରନ୍ତି ନାହିଁ ତାହା ସେ ପିଲାବେଳୁ ଶୁଣି ଆସୁଛି ।

Image

ମଶାଣୀ ନିକଟ ତାଳଗଛ ଓ ବରଗଛରେ କୁଆଡ଼େ ବ୍ରହ୍ମରାକ୍ଷସ ବାସକରେ । ଅନେକ ସମୟରେ ରାତ୍ରିରେ ଗାଁଲୋକେ ଏହି ରାସ୍ତାରେ ଫେରୁଥିବାବେଳେ ବ୍ରହ୍ମରାକ୍ଷସ ସେମାନଙ୍କ ଆଗରେ ଠିଆହୁଏ । କଳା ଜହ୍ନିଆ ରାତିରେ କୁଆଡ଼େ ବ୍ରହ୍ମରାକ୍ଷସ ବେଶୀ ବାହାରେ । ନଦୀ ପାଣିରେ ଭୁସଭାସ ପଡ଼ିଉଠି ନୃତ୍ୟ କରେ । ମଶାଣୀରୁ ଡାହାଣୀ ଆଲୁଅ ବାହାରି ନାଚେ । କେତେ ଚିରଗୁଣି ଲଙ୍ଗଳା ହୋଇ ପିଲା ସେକୁଥିବାର ଦୃଶ୍ୟ ଗାଁଲୋକେ ବର୍ଣ୍ଣନା କରନ୍ତି । ନୃସିଂହ ନା ସବୁଠାରୁ ସାହାସୀ । ସେ ମେଳା, ପୂଜା ଓ ଜଜମାନ କାର୍ଯ୍ୟସାରି ଅନେକ ଦିନ ରାତ୍ରିରେ ସେହି ବାଟଦେଇ ଫେରନ୍ତି । ଅନେକ ଦିନ ସେ ଚିରିଗୁଣୀ ଓ ବ୍ରହ୍ମରାକ୍ଷସଙ୍କୁ ଦେଖନ୍ତି ବୋଲି ଗାଁ ଲୋକଙ୍କ ଆଗରେ ବାହାସ୍ଫୋଟ ମାରି ନିଜର ବୀରତ୍ୱ କାହାଣୀ ବର୍ଣ୍ଣନା କରନ୍ତି । ଗାଁଲୋକେ ନନାଙ୍କ କାହାଣୀ ଶୁଣି ହତବାକ୍‌ ହୋଇଯାଆନ୍ତି । ଅନେକେ ନନାଙ୍କ ବୀର ପଣିଆକୁ ପ୍ରଶଂସା କରନ୍ତି ।

 

ନନାଙ୍କ ଦେଖାଦେଖି ଗାଁର ପଦନ ସାହୁ, କଣ୍ଡୁରୀ ମଲ୍ଲିକ, ନବଘନ ବରାଳ ଭଳି ଅନେକ ଲୋକ ମଶାଣୀ ନିକଟରେ ଭୂତ ଦେଖିବାର ଅନେକ ଭୟଙ୍କର ଘଟଣା ବର୍ଣ୍ଣନା କରନ୍ତି । ଏହାର ଫଳସ୍ୱରୂପ ସନ୍ଧ୍ୟା ଆସୁ ଆସୁ ନଦୀକୂଳ ଆଡ଼କୁ ଆଉ ବେଶି ଲୋକ ଯାଆନ୍ତି ନାହିଁ । କୁଳ ଭୁଆସୁଣୀ, ସ୍ତ୍ରୀ ଲୋକମାନେ ଦିନରୁ ନଦୀ କାମ ସାରି ଦିଅନ୍ତି । କଦବା କୋଚିତ ଯୁବକ ପିଲାଏ ଖରାଦିନ ସନ୍ଧ୍ୟାରେ ନଦୀକୂଳରେ ବସି ସୁଲୁସୁଲିଆ ପବନ ଖାଆନ୍ତି । ମାତ୍ର ସେମାନେ ମଧ୍ୟ ନଦୀ ଭିତରେ ସନ୍ଧ୍ୟା ଆସୁ ଆସୁ ଭୁସଭାସ ଶବ୍ଦ ଶୁଣନ୍ତି । ନଈ କୂଳିଆ ପବନରେ ତାଳଗଛର ଶୁଖିଲା ପତ୍ର ଖଡ଼ଖଡ଼ ହେଲେ ସେମାନଙ୍କୁ ତାଳଗଛ ଉପରେ ଭୂତ ବସିବା ପରି ଜଣାଯାଏ । ବାଦଲଥିବା ଜହ୍ନ ରାତ୍ରିରେ ତାଳଗଛର ଛାଇ କେତେକଙ୍କୁ ବ୍ରହ୍ମରାକ୍ଷସ ଚାଲୁଥିବା ଭଳି ଜଣାପଡ଼େ । ଏହିପରି ଭାବରେ ଗାଁରେ ଉଣା ଅଧିକେ ସମସ୍ତେ ପ୍ରାୟ ଭୂତଭୟ ଦ୍ଵାରା ଆକ୍ରାନ୍ତ ହୋଇ ରହିଥାନ୍ତି ।

 

Image

 

ଏସବୁ ଦେଖି ଗୋକୁଳକୁ ଭାରି ଖରାପ ଲାଗେ । ପାଠ ପଢ଼ୁଆ ପିଲାଟାଏ । ଗାଁକୁ ଛୁଟିରେ ଆସିଲେ ସେ ବହୁ କାଳ୍ପନିକ ଭୂତଗପ ଲୋକଙ୍କଠାରୁ ଶୁଣେ ଓ ଲୋକଙ୍କ ମନ ଭିତରେ ରହିଥିବା ଅନ୍ଧବିଶ୍ଵାସକୁ କିପରି ଦୂର କରିପାରିବ ସେଥିପାଇଁ ଅନେକଙ୍କୁ ବହୁଥର ବୁଝାଇଛି । ମାତ୍ର ଫଳ କିଛି ହୋଇନାହିଁ । ଅନେକ ବୁଢ଼ା ବୁଢ଼ା ଲୋକ ଗୋକୁଳ କଥାକୁ ହସରେ ଉଡ଼େଇ ଦିଅନ୍ତ । ପବନା ଦାଦି ପ୍ରଭୃତି ଅନେକ ଲୋକ ଗୋକୁଳର ପିଠି ଥାପୁଡ଼େଇ କହନ୍ତି, ‘‘ବାପରେ ତୁ ଯାହା କହୁଛୁ ସବୁ ମିଥ୍ୟା । କେବେହେଲେ ସନ୍ଧ୍ୟାବେଳେ ଏକୁଟିଆ ପୋଖରୀ ହୁଡ଼ା (ଗାଁ ଶ୍ମଶାନ) ବନ୍ଧକୁ ଯିବୁ ନାହିଁ । ସେଠାରେ ଥିବା ନରରାକ୍ଷସ, ଭୂତପ୍ରେତଙ୍କ ହାବୁଡ଼ରେ ଯିଏ ଥରେ ପଡ଼ିଛି ସେ କଣ କେବେ ରକ୍ଷା ପାଇଛି ? ଦେଖୁନୁ ଯୁବକ ମାଧିଆଟା କିପରି ସେହିଠାରୁ ଡରି ଆସି ଶେଷରେ ରକ୍ତ ବାନ୍ତିକରି ମଲା ।

 

Image

 

ଗୋକୁଳ, ପଦନା ଦାଦାଙ୍କୁ ଯେତେ ବୁଝାଇଲା ଯେ ମାଧି‌ଆକୁ ଯକ୍ଷ୍ମା ହୋଇଥିଲା । ସେ ଏ ରୋଗ ବିଷୟରେ ପୂର୍ବରୁ ଜାଣିନଥିଲା । ତାର ଶେଷ ଅବସ୍ଥା ହୋଇ ଯାଇଥିଲା । ଦୁର୍ବଳ ଶରୀରରେ ରକ୍ତ ବାନ୍ତିକରି ମରିବା ଭୂତ ଭୟ ଯୋଗୁ ନୁହେଁ । ମାତ୍ର ଗୋକୁଳ କଥାକୁ କିଏ କାହିଁକି ବିଶ୍ୱାସ କରିବ ?’’ ଏସବୁ ଅବସ୍ଥା ଦେଖି ଗୋକୁଳ ମନରେ ଭାରି ଦୁଃଖ । ମଣିଷଙ୍କ ଶବକୁ ସେ କାଟୁଛି । ଡାକ୍ତରୀ ବିଦ୍ୟାର ବହୁ ଗୁଢ଼ ତଥ୍ୟ ପରୀକ୍ଷା କରୁଛି । ମାତ୍ର ଗାଁ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ୱାସ ଯଦି ସେ ଦୂରେଇ ଦେଇ ନପାରିବ, ତେବେ ତାର ପାଠପଢ଼ି କି ଲାଭ ? ମାତ୍ର ଏଥିପାଇଁ ବାଟ କଣ ? ଅନେକ ସମୟ ଚିନ୍ତାକଲା ଗୋକୁଳ । ହଠାତ୍‌ ତା ମନକୁ ଏକ ବୁଦ୍ଧି ଆସିଲା ।

 

ତା’ପରଦିନ କଥା । ସକାଳୁ ସକାଳୁ ଗାଁ ସାରା ଚହଳ ପଡ଼ିଗଲା । କଥା କଣ ? ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା। ଗୋକୁଳ ଆଜି ରାତ୍ରିରେ ଏକୁଟିଆ ପୋଖରୀ ହୁଡ଼ା ଶ୍ମଶାନକୁ ଯିବ ଓ ସେହି ଭୟଙ୍କର ମଶାଣୀରୁ ହାଡ, ମଣିଷ ମୁଣ୍ଡ ଇତ୍ୟାଦି ଗୋଟାଇ ଏକୁଟିଆ ଫେରିବ ! ଯଦି ଭୁତପ୍ରେତ ସେଠାରେ ଥିବେ ତେବେ ସେମାନେ ତ ତାକୁ ଆକ୍ରମଣ କରିବେ । ଯଦି ସେ ନିରାପଦରେ ଗାଁକୁ ଫେରିଆସି ପାରିଲା ତେବେ ଭୂତପ୍ରେତ କିଛି ନାହିଁ ବୋଲି ଗାଁ ଲୋକେ ବିଶ୍ଵାସ କରିବେ । ଏପ୍ରକାର ଏକ ଅସାଧ୍ୟ, ଭୟଙ୍କର ଜୀବନମରଣ ସମସ୍ୟା ଥିବା ଘଟଣା ଶୁଣିବା ମାତ୍ରେ ଅନେକ ଲୋକ ଆତକିତ ହୋଇଗଲେଣି । ଭାଗ୍ୟ ଭଲ ଗୋକୁଳର ମା ସେତେବେଳେ ମାମୁଁ ଘରକୁ ଯାଇଥାନ୍ତି । ଗୋକୁଳର ବଡ଼ ମା, ଦେଠେଈ ଓ ଅନେକ ସ୍ତ୍ରୀଲୋକ ଆସି ସକାଳପହରୁ ଗୋକୁଳ ନିକଟରେ ରୁଣ୍ଡ ହେଲେଣି । ସେମାନେ ଏପ୍ରକାର ଏକ ଭୟଙ୍କର କାର୍ଯ୍ୟ ନକରିବାକୁ ତାକୁ ବାରଣ କରୁଥାନ୍ତି । ଗୋକୁଳର ବାପା ମଧ୍ୟ ସେଦିନ ବନ୍ଧୁ ଘରକୁ ଚାଲି ଯାଇଥାନ୍ତି । ସୁବିଧା ଦେଖି ଗୋକୁଳ ବାପା, ମାଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନେଇଛି । ସେମାନେ ଥିଲେ ହୁଏତ ତାକୁ ମନା କରିଥାନ୍ତେ ।

Image

ସୂର୍ଯ୍ୟ ଦେବତା ପଶ୍ଚିମ ଦିଗରେ ଅସ୍ତ ହୋଇଗଲେ । ସେଦିନ ସତେ ଯେପରି କୁସୁନପୁର ଗାଁକୁ ସନ୍ଧ୍ୟା ଆସୁ ଆସୁ ଏକ ଅଜଣା ଭୟ ମାଡ଼ି ଆସିଲା । ଅନେକ ଦୀର୍ଘ ନିଶ୍ୱାସ ପକାଇ କହୁଥିଲେ—ସତେ କଣ ଗୋକୁଳ ଆଜି ପୋଖରୀ ହୁଡ଼ାରୁ ଫେରିବ ? ବାପା, ମା ପିଲାଟା ପାଇଁ କେତେ କଷ୍ଟ କରି ନଥିଲେ ସତେ ! ଶେଷରେ ପରିଣତି କଣ ଏଇଆ ହେଲା ? ପୁଅଟା ଭୁତ ମୁହଁରେ ଯିବ !

 

ପୂର୍ବ ବ୍ୟବସ୍ଥା ଅନୁସାରେ ଗାଁ ଲୋକେ ଡରିମରି ଭାଗବତ ଗାଦି ଆଗରେ ଏକାଠି ହେଲେ । ତୃତୀୟା ତିଥି । ଖଣ୍ଡଖଣ୍ଡିଆ ବାଦଲ ଆକାଶରେ ଉଇଁଥିବା ଖଣ୍ଡିଆ ଚନ୍ଦ୍ରମାକୁ ଘୋଡ଼ାଇ ପକାଉଛି । ଗୋବରୀ ନଦୀକୂଳରେ ଶୁଭୁଛି କାତମାରି, ନାଆ ପେଲି ଯାଉଥିବା ନାଉରୀର ସଙ୍ଗୀତ-। ଖଣ୍ଡିଆବନ୍ଧ କଡ଼ରେ ଥିବା ବଡ଼ ଝଙ୍କାଳିଆ ବରଗଛ ଓ ତାଳଗଛରେ ୧୦/୧୨ଟା ଶାଗୁଣା ଏପାଖ ସେପାଖ ହେଉଛନ୍ତି । ସେମାନଙ୍କ ପକ୍ଷାଘାତରେ ତାଳବରଡା ଧଡ଼ ଧଡ଼ ଶବ୍ଦ କରୁଛି-। ଏହି ପ୍ରକାର ଏକ ଭୟଙ୍କର ସମୟରେ ବୀର ଦର୍ପରେ ଏକୁଟିଆ ବାହାରିଲା ଗୋକୁଳ ଖଣ୍ଡିଆ ବନ୍ଧ ଆଡ଼େ । ଗାଁ ଲୋକେ ତାକୁ କେତେ ବାରଣ କଲେ । ନୃସିଂହ ନନା ପ୍ରମୁଖ ତାଙ୍କ ସାଙ୍ଗରେ ଯିବାକୁ ବାହାରିଲେ । ମାତ୍ର ଗୋକୁଳର ଶେଷ ନିଷ୍ପତ୍ତି ସେ ଏକୁଟିଆ ଯିବ । ଶେଷରେ ସେଇଆ ହେଲା-। ଗୋକୁଳ ଚାଲିଲା ଖଣ୍ଡିଆ ବନ୍ଧକୁ । ଗାଁ ଲୋକଙ୍କ ପାଟିରେ କଥା ନାହିଁ । ସମସ୍ତେ ଯେପରି ମୁକ ପାଲଟି ଯାଇଛନ୍ତି । ଗୋକୁଳର ବାପା ମା ଫେରିଲେ ସେମାନେ ତାଙ୍କୁ କି ଉତ୍ତର ଦେବେ-? କାହାରି ପାଟିରୁ କଥା ବାହାରୁ ନାହିଁ । ଭାଗବତଙ୍କୁ ଦଣ୍ଡବତ କରି ନିଧି ଅଜା, ପଦନା ଦାଦା ପ୍ରମୁଖ କାକୁତି ମିନତି ହେଉଛନ୍ତି । ପ୍ରଭୁ ଗୋକୁଳଟାକୁ ଏ ମହାବିପତ୍ତିରୁ ରକ୍ଷାକର । ତୁମକୁ ଭୋଗ ଦେବୁ-। ଗାଁର ଗୋଟିଏ ବୋଲି ଶିକ୍ଷିତ ପିଲା ଥିଲା, ତାର ଶେଷ ଅବସ୍ଥା କଣ ଏଇଆ ହେବ ?

 

ପନ୍ଦର ମିନିଟ କଟିଗଲା । ସମସ୍ତେ ରାସ୍ତାଆଡ଼େ ଚାହିଁଥାନ୍ତି । ହଠାତ୍‌ ସମସ୍ତଙ୍କ ଭିତରେ ଆନନ୍ଦ ଦେଖାଦେଲା । ସ୍ଵପ୍ନ କଣ ସତ ହୁଏ, ସମସ୍ତଙ୍କୁ ସ୍ୱପ୍ନ ପରି ଲାଗୁଥିଲେ ବି ଗୋକୁଳ ସତକୁ ସତ ଫେରିଆସିଛି । ଗୋକୁଳକୁ ଅନେକଙ୍କର ପ୍ରଶ୍ନ–ସେ କିଛି ଭୂତ ପ୍ରେତ ଦେଖିଲା କି ନାହିଁ ? ବ୍ରହ୍ମରାକ୍ଷସ ତାକୁ ଏତେ ସହଜରେ ଛାଡ଼ିଦେଲା କିପରି ? ଗୋକୁଳକୁ ହସି ହସି ସେ ଏକ ବ୍ୟାଗରେ ପୁରାଇ ଆଣିଥିବା ହାଡ, ଖପୁରୀକୁ ଗାଁ ଲୋକଙ୍କ ଆଗରେ କୁଢ଼େଇ ଦେଲା । କେତେକ ନାକ ଟେକିଲେ । ଏ ଅଛୁଆଁ ଜିନିଷ ଗୁଡ଼ାକ ଦେଖି ଅନେକ ଭୟରେ ଛାନିଆ ହୋଇଗଲେ । କେତେକ କହିଲେ–ହାଡ଼ ଗୁଡ଼ିକ ଛୁଇଁଲେ ରାତ୍ରିରେ ଗାଧୋଇବାକୁ ପଡ଼ିବ। ମାତ୍ର ଗୋକୁଳ ତ ଡାକ୍ତରୀ ଛାତ୍ର । ମଣିଷର ଶରୀରକୁ ତନ୍‌ତନ୍‌ କରି ଯେ ପରୀକ୍ଷା କରୁଛି ସେ ହାଡ଼ଗୁଡ଼ିକୁ ଦେଖି ବା ଭୟଭୀତ ହୁଅନ୍ତା କାହିଁକି ? ଗୋକୁଳ ଲୋକଙ୍କୁ ବୁଝାଇବା ଆରମ୍ଭ କରୁଥିଲ। । ନିକଟରେ ଗଦାହୋଇ ରହିଥିଲା ଅନେକ ହାଡ଼, ଦି’ଟା ଖପୁରୀ ଇତ୍ୟାଦି ।

 

Image

 

ଅନେକ ଆଶ୍ଚର୍ଯ୍ୟ ହୋଇ ଗୋକୁଳର କାର୍ଯ୍ୟ କଳାପକୁ ଲକ୍ଷ୍ୟ କରୁଥିଲେ । ହଠାତ୍‌ ଅଘଟଣ ଘଟିଲା । ଗଦା ହୋଇଥିବା ହାଡ଼ ଆସ୍ତେ ଆସ୍ତେ ହଲିବାରେ ଲାଗିଲା । ସମସ୍ତେ ଏକଲୟରେ ସେହି ହାଡ ଆଡ଼େ ଚାହିଁ ରହିଥିଲେ । ଚନ୍ଦ୍ର ଦେବତା କେତେବେଳୁ ବୁଡ଼ିଗଲେଣି । ଅନ୍ଧକାର ରାତ୍ରି ମାଡ଼ି ଆସୁଛି । ହଠାତ୍‌ ହାଡ଼ ମଧ୍ୟରୁ ଗୋଟିଏ ଖପୁରୀ ଚାଲିବାକୁ ଆରମ୍ଭ କଲା । ଆସ୍ତେ ଆସ୍ତେ ଆପଣାଛାଏଁ ଗଡ଼ି ଗଡ଼ି ଚାଲିଥିଲା, ଛୋଟ ଖପୁରୀଟି ଲୋକମାନଙ୍କ ଆଡ଼କୁ । ଲୋକେ କି ଆଉ ରହନ୍ତି । ହେଇ ଭୂତ ଆସିଲା କହି ଯେ ଯୁଆଡ଼େ ଧାଇଁବାରେ ଲାଗିଲେ । ଗୋକୁଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ମୃତ, ନିର୍ଜୀବ ଖପୁରୀ ହାଡ଼ଟାଏ ଚାଲୁଛି କିପରି ? ଏହାର ରହସ୍ୟ ଜାଣିବାକୁ ଗୋକୁଳ ଜୋରରେ ପିଟିଦେଲା ଖପୁରୀଟାକୁ ଏବଂ ସଙ୍ଗେ ସଙ୍ଗେ ସେଥିମଧ୍ୟରୁ ଗୋଟାଏ ବେଙ୍ଗ ବାହାରି ଆସିଲା ପଦାକୁ । ଗୋକୁଳ ଡାକ ପକାଇଲା ଲୋକମାନଙ୍କୁ-। ଆସ ଦେଖିବ ଖପୁରୀ କିପରି ଚାଲୁଥିଲା । ସେତେବେଳଯାଏ ଅଳ୍ପ କିଛି ଯୁବକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଖପୁରୀ ଚାଲିବାର ରହସ୍ୟ ସେମାନେ ସ୍ଵଚକ୍ଷୁରେ ଦେଖି ସାରିଥିଲେ-। ତେଣୁ ସେମାନେ ମଧ୍ୟ ଫେରି ଯାଉଥିବା ଗାଁ ଲୋକଙ୍କୁ ଡାକ ଛାଡ଼ିଲେ । ଅନେକ ଗାଁ ଲୋକ ତାଙ୍କ ଡାକରେ ଫେରି ଆସିଲେ ଭାଗବତ ଟୁଙ୍ଗୀ ଆଡ଼କୁ ।

 

Image

 

ଗୋକୁଳ ଲୋକଙ୍କୁ ବୁଝାଇ ଦେଇଥିଲା ଯେ ପ୍ରତ୍ୟେକ ଲୋକଙ୍କ ଖପୁରୀ ମଧ୍ୟରେ ଏକ ଖୋଲା ଖାଲୁଆ ସ୍ଥାନ ରହିଥାଏ । ମଣିଷ ଜୀବନ୍ତ ଥିବାବେଳେ ଏଠାରେ ସୂକ୍ଷ୍ମ ମସ୍ତିଷ୍କ ରହିଥିବାବେଳେ ମଣିଷ ମରିଗଲା ପରେ ମସ୍ତିଷ୍କ ନଷ୍ଟ ହୋଇଯିବାରୁ ଏଠାରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୁଏ । ସେହି ଶୂନ୍ୟସ୍ଥାନରେ ଏକ ବେଙ୍ଗ ପଶିଯାଇ ବହୁ ଦିନରୁ ରହିଥିଲା ଏବଂ ଖପୁରୀଟିକୁ ଏପଟ ସେପଟ କରି ସେ ଚଳାଉଥିଲା । ସେ ଖପୁରୀ ଭିତରେ ଥିବା ଖୋଲା ସ୍ଥାନକୁ ଗାଁ ଲୋକଙ୍କୁ ଦେଖାଇଦେଲା । ଲୋକେ ଏତେବେଳେ ଯାଇ ବିଶ୍ଵାସ କଲେ ଯେ ଗୋକୁଳ ଯାହା କହୁଛି ତାହା ଅକ୍ଷରେ ଅକ୍ଷରେ ସତ୍ୟ । ସେମାନଙ୍କ ମନରେ ବିଶ୍ୱାସ ଜନ୍ମିଲା । ଅନେକ ଫେରିଆସି ବସିଲେ । ଆଜି ଗୋକୁଳ ଭଳି ଛୋଟ ପିଲାଟିଏ କେତେ ବଡ଼ ସାହାସର କାମ ନକଲା ସତେ ? ଅନେକ ତାର ସାହସକୁ ପ୍ରଶଂସା କରୁଥିଲେ ।

 

Image

 

ଗୋକୁଳ ଆରମ୍ଭ କଲା—ସଂସାରରେ ଭୂତ, ପ୍ରେତ, ଡାହାଣୀ ବୋଲି କିଛି ନାହାଁନ୍ତି । ଭୂତ, ପ୍ରେତ, କଙ୍କାଳ ଏସବୁ ନାମ ଶୁଣି ପିଲାଠାରୁ ବଡ଼ ଯାଏ ସମସ୍ତେ ଡରନ୍ତି । ନିଧି ଅଜା ସନ୍ଧ୍ୟାବେଳେ ନାତି ନାତୁଣୀଙ୍କୁ ପାଖରେ ବସାଇ ଯେଭଳି ଭୂତ ଗପ କହନ୍ତି ତାଦ୍ୱାରା ପିଲାମାନେ ଭୟ କରନ୍ତି । ପିଲାଟି ଦିନରୁ ସେମାନଙ୍କ ମନରେ ଏକପ୍ରକାର ଭୟ ଭାବନା ସୃଷ୍ଟି ହୋଇଯାଏ । ମାତ୍ର ଏଭଳି ମିଥ୍ୟା ମନଗଢ଼ା କଥା ନକହି ଆମେ ଯଦି ସେମାନଙ୍କୁ ମହାପୁରୁଷଙ୍କ ଜୀବନୀ, ଭଲ କଥା, ନୀତିଶିକ୍ଷା, ମହାଭାରତ, ରାମାୟଣ ଇତ୍ୟାଦି କଥା କୁହନ୍ତେ, ପିଲାଟି ଦିନରୁ ସେମାନଙ୍କ ମନରେ ସାହାସ, ଦେଶଭକ୍ତି, ଗୁରୁଜନଙ୍କୁ ଭକ୍ତି କରିବା, ଈଶ୍ୱର ବିଶ୍ଵାସ ଇତ୍ୟାଦି ସୃଷ୍ଟି ହୁଅନ୍ତା । ମାତ୍ର ଆମେ ତାହା କରୁନାହୁଁ । ପିଲାଙ୍କୁ ଭୂତକଥା କହି ଆମେ ଡରେଇ ଦେଉଛେ । ସେ ପିଲାଟି ଦିନରୁ ନିର୍ଭିକ, ସାହାସୀ ହେବାରୁ ବଞ୍ଚିତ ହେଉଛି । ପିଲାମାନେ ତ ଭୂତ ଗପ ଶୁଣିବାକୁ ଭଲ ପାଆନ୍ତି ।

 

Image

 

ଭୂତମାନେ କିପରି ଟେକା ମାରନ୍ତି, ରାତି ଅଧରେ ମଶାଣିରେ ଆଲୁଅ ଜାଳି ନାଚନ୍ତି, ଏସବୁ ଗପ ଶୁଣିବା ବେଳେ ସେମାନେ ଡରି ଛାନିଆଁ ହୋଇ ଗପ କହୁଥିବା ଅଜା ଆଈଙ୍କୁ ଜାବୁଡ଼ି ଧରନ୍ତି ।

 

Image

 

ଗୋକୁଳର କଥାକୁ ଗାଁ ଲୋକେ ଆଗ୍ରହର ସହିତ ଶୁଣୁଥିଲେ । ସେ ତଳେ ପଡ଼ିଥବା ଖଣ୍ଡିଏ ହାଡ଼କୁ ଉଠାଇ ଆଣି କହିଲା—ଆମ ମଣିଷର ଦେହ ଏହିପରି ଛୋଟବଡ଼ ୨୦୬ ଖଣ୍ଡ ହାଡ଼କୁ‌ ନେଇ ଗଠିତ ହୋଇଛି । ଏହାକୁ କୁହାଯାଏ ମଣିଷର କଙ୍କାଳ । ସେହିପରି ସବୁ ପ୍ରାଣୀଙ୍କର କଙ୍କାଳ ମଧ୍ୟ ତିଆରି ହୋଇଛି । ଏହି ହାଡ଼ସବୁ ଶକ୍ତ ଭାବରେ ଲାଗି ରହି ଆମ ଦେହକୁ ଦୃଢ଼ଭାବରେ ଧରିରଖିବା ଫଳରେ ଆମେମାନେ ଚାଲି ପାରୁଛୁ । ଯାହା ଇଚ୍ଛା ତାହା କରି ପାରୁଛୁ । ଏଥିରୁ ଖଣ୍ଡେ ହାଡ଼ ନଥିଲେ ଆମ ଶରୀରର କୌଣସି ଗୋଟିଏ ଅଙ୍ଗ ହୁଏତ ଅକାମୀ ହୋଇ ଯାଇଥାଆନ୍ତା । ଶରୀରରୁ ମାଂସ ବାହାରିଗଲା ପରେ ହାଡ଼ର ସମଷ୍ଟି ଥିବା ଯେ କୌଣସି ପ୍ରାଣୀର ଶରୀରକୁ ଆମେ କଙ୍କାଳ କହିବା । ଅଧିକାଂଶ ଡାକ୍ତରୀ ଶିକ୍ଷା ଅନୁଷ୍ଠାନରେ, ଗବେଷଣାଗାରରେ ମଣିଷ, ବେଙ୍ଗ, ମାଛ, ସାପ, ପାରା ପ୍ରଭୃତି ବହୁ ପ୍ରାଣୀଙ୍କର କଙ୍କାଳ ଅଛି । ଏହିସବୁ କଙ୍କାଳକୁ ଦେଖି ଡରିବା ବା ଭୟ କରିବାର କୌଣସି କାରଣ ନାହିଁ ।

Image

ଲୋକମାନଙ୍କ ମନରୁ ଭୟ ଦୂରେଇବାକୁ ଗୋକୁଳ କହିଲା ଯେ ତୁମେ ସବୁ କଙ୍କାଳର ନାମ ଶୁଣିଲେ ଡରୁଛ ? ମାତ୍ର ଅନେକ ଲୋକଙ୍କ ଘରେ, ଆମ ପାଖରେ, ସାଙ୍ଗେ ସାଙ୍ଗେ ଗୋଟିଏ କଙ୍କାଳ ସବୁବେଳେ ରହିଛି ଓ ଯିବା ଆସିବା କରୁଛି । ଏହା ବୋଧହୁଏ ଅନେକ ଜାଣି ନାହାଁନ୍ତି । ଆମ ଅଜାଣତରେ ଏହି କଙ୍କାଳ ଆମ ସହିତ ଚାଲୁଥିଲେ ମଧ୍ୟ କାହିଁ ଆମେ ତ ଡରୁନାହୁଁ ? ତେବେ ଏହି କଙ୍କାଳ କିଏ ?

Image

ଲୋକେ ଆଗ୍ରହର ସହିତ ଏକ ଲୟରେ ଗୋକୁଳର କଥା ଶୁଣୁଥାନ୍ତି । ଗୋକୁଳ ହଠାତ୍‌ ପାଖରେ ଥୁଆ ହାଇଥିବା ନିଜର ଚପଲଟିକୁ ଉଠାଇ ଆଣିଲା । ସେ କହିଲା—ଅନେକ ଲୋକଙ୍କ ଗୋଡ଼ରେ ଗାଧୋଇଗଲେ, ବୁଲୁଥିବା ବେଳେ ଅଧିକାଂଶ ସମୟରେ ଏହି ଚପଲଟି ଥାଏ । ମାତ୍ର ଏହି ଚପଲ ତିଆରି ହୋଇଥିବା ସ୍ପଞ୍ଜ ହେଉଛି ଏକ ପ୍ରାଣୀର କଙ୍କାଳ । ଏହା ଶୁଣି ଅନେକ ଆଶ୍ଚର୍ଯ୍ୟ ହୋଇଗଲେ । ଗୋକୁଳ କହିଲା—ସବୁବେଳେ ଗୋଟିଏ କଙ୍କାଳ ସହିତ ଆମେ ଯିବା ଆସିବା କରୁଥି‌ବା ବେଳେ କଙ୍କାଳକୁ ଆମେ ଡରିବା କାହିଁକି ? ଏହି ସ୍ପଞ୍ଜର କଙ୍କାଳ ଖୁବ୍‌ ନରମ ଓ ପାଣି ଶୋଷି ନିଏ । ଶୋଷି ଥିବା ପାଣି ଏହା ଉପରେ ଚାପ ପଡ଼ିଲେ ଆପେ ଆପେ ବାହାରିଯାଏ-। ଏହା ଆମକୁ ଅନେକ କାର୍ଯ୍ୟରେ ସାହାଯ୍ୟ କରେ । ନିଧି ଅଜା ପ୍ରମୁଖ ଗୋକୁଳର ପିଠି ସେତେବେଳକୁ ଥାପୁଡ଼ାଇ ସାରିଲେଣି । ନିଧି ଅଜା, ଗୋବିନ୍ଦ ପ୍ରମୁଖ କହିଲେ—ଏହି ସ୍ପଞ୍ଜ ପ୍ରାଣୀ ତେବେ ଥାଏ କେଉଁଠି ?

 

ଗୋକୁଳ କହିଲା–ଏହି ପ୍ରାଣୀ ପ୍ରାୟ ସମୁଦ୍ର ଶଯ୍ୟାରେ ଲାଗି ରହିଥାଏ ଏବଂ ବଡ଼ ବୁଦାପରି ବଢ଼ିଥାଏ ।

Image

ବିଭିନ୍ନ ଅଞ୍ଚଳର ସମୁଦ୍ରରେ ଏହା ବିଭିନ୍ନ ରଙ୍ଗ ବେରଙ୍ଗର ହୋଇଥାଏ । ଅନେକ ଦିନଯାଏ ଲୋକେ ଏହାକୁ ଏକ ଉଦ୍ଭିଦ ବୋଲି ଭାବୁଥିଲେ । କାରଣ ଏହା ଉଦ୍ଭିଦପରି ଦେଖାଯାଏ ଓ ପାଣିରେ ରହୁଥିବା ଉଦ୍ଭିଦ ପରି ଭାସିବୁଲେ । ମାତ୍ର ଏହାର ଶ୍ଵାସକ୍ରିୟା ପ୍ରାଣୀମାନଙ୍କ ପରି । ତେଣୁ ବୈଜ୍ଞାନିକମାନେ ଏହାକୁ ଏକ ପ୍ରାଣୀ ବୋଲି ମତ ଦେଇଛନ୍ତି ।

 

ଆମେ ପିନ୍ଧୁଥିବା ସଞ୍ଜର କଙ୍କାଳ ହିଁ ଏହି ପ୍ରାଣୀ ଶରୀରର ମୁଖ୍ୟ ଅଂଶ । ଏହା ଚାରିପଟରେ ସଜନା ଅଠାପରି ପଦାର୍ଥ ଲାଗି ରହି ଏହାର ଶରୀରକୁ ଗଠନ କରିଥାଏ । ଏହି ଅଠାଳିଆ ପଦାର୍ଥ ଦିନରେ ସମୁଦ୍ର ଜଳରୁ ପାଣି, ପବନ, ଛୋଟ କୀଟ, ମାଛ, ଜଳଜ ଉଦ୍ଭିଦଙ୍କୁ ନିଜ ଶରୀର ଭିତରକୁ ଟାଣି ନିଏ ଓ ନିଜର ଖାଦ୍ୟ ରୂପେ ବ୍ୟବହାର କରେ । କେତେକ ସ୍ପଞ୍ଜର ଆକାର ୫/୬ ଫୁଟରୁ ବଡ଼ ହୋଇଥାଏ । ଆମର ଆଙ୍ଗୁଠି ଆକୃତିର କେତେକ ସ୍ପଞ୍ଜ ମଧ୍ୟ ଅଛନ୍ତି । ଆମେ ବ୍ୟବହାର କରୁଥିବା ସ୍ପଞ୍ଜ ଆମେରିକା ଉପକୂଳ, ଭୂମଧ୍ୟ ସାଗର, ବାହାମା ସାଗର କୂଳରୁ ସାଧାରଣତଃ ମିଳିଥାଏ । ଏହାକୁ ସଂଗ୍ରହ କରାଯିବା ପରେ ଖରାରେ ଟାଙ୍ଗି ଦିଆଯାଏ ଏବଂ ସଫା କରାଯାଇ ବିଭିନ୍ନ କାମରେ ଲଗାଯାଏ ।

Image

ଏହି ସ୍ପଞ୍ଜ ପ୍ରାଣୀ ଅଣ୍ଡାଦେଇ ବଂଶବୃଦ୍ଧି କରେ । ଅଣ୍ଡାରୁ ଛୁଆହେବା ପରେ ଏହା ସମୁଦ୍ର ପାଣିରେ ଘୁରିବୁଲେ । କୌଣସି କଠିନ ଶଯ୍ୟା ବା ସମୁଦ୍ର ଶଯ୍ୟାରେ ଲାଗିଲେ ଏହା ସେଥିରେ ଦୃଢ଼ଭାବରେ ଲାଗିରହି ବଢ଼ିବାରେ ଲାଗେ । ଏହା ବ୍ୟତୀତ ସ୍ପଞ୍ଜ ନିଜ ଶରୀରକୁ ଛୋଟ ଖଣ୍ତରେ ପରିଣତ କରି ସେଥିରୁ ମଧ୍ୟ ନୂତନ ସ୍ପଞ୍ଜ ସୃଷ୍ଟି କରିଥାଏ । ଏହା ଦେହରୁ ଏକପ୍ରକାର ଦୁର୍ଗନ୍ଧ ବାହାରୁଥିବାରୁ ସମୁଦ୍ର ଜୀବମାନେ ସାଧାରଣତଃ ଏହାକୁ ଖାଆନ୍ତି ନାହିଁ ।

 

ଏବେ କିନ୍ତୁ ଦେଖାଯାଉଛି ସ୍ପଞ୍ଜଙ୍କ ସଂଖ୍ୟା କ୍ରମେ କମିଯାଉଛି । ଏକ ରୋଗ ହେଲେ ସ୍ପଞ୍ଜମାନେ ଅନେକ ସଂଖ୍ୟାରେ ମରିଯାଆନ୍ତି । ଏବେ ତେଣୁ ସ୍ପଞ୍ଜ ଅଭାବରୁ ଆମେ ଅନେକ ପ୍ରକାର କୃତ୍ରିମ ସ୍ପଞ୍ଜ ବ୍ୟବହାର କରୁଛୁ ।

 

ଗୋକୁଳର କଥାକୁ ଗାଁ ଲୋକେ ଏକ ଧ୍ୟାନରେ ମୁକପରି ବସି ଶୁଣୁଥିଲେ । ଗୋକୁଳ କହୁଥିଲା ଏବେ ତ ଆମେ ଏକ ପ୍ରାଣୀର କଙ୍କାଳ ବିଷୟରେ ଜାଣିଲେ । ଏହା ବ୍ୟତୀତ ଆମେ ମାଛର କଙ୍କାଳ ତ ଦେଖିଛେ । ତେଣୁ ସେସବୁ କଙ୍କାଳ ପରି ମଣିଷର କଙ୍କାଳ ମଧ୍ୟ ଅନ୍ୟତମ । ଆମେ ତେଣୁ ମଣିଷର କଙ୍କାଳକୁ ଡରିବା କାହିଁକି ? ସେଇଥିପାଇଁ ସେ ଏକୁଟିଆ ଯାଇ ମଶାଣୀରୁ ମଣିଷ କଙ୍କାଳ ସଂଗ୍ରହ କରି ନେଇଆସିଲା ବୋଲି ପ୍ରକାଶ କଲା ।

 

ଗାଁ ଲୋକଙ୍କ ମନରୁ କଙ୍କାଳ, ଭୂତ ଭୟ ଏକପ୍ରକାର ଦୂରେଇ ଯାଇଥିଲା । ସେମାନେ ଗୋକୁଳକୁ ଧନ୍ୟ ଧନ୍ୟ କହି ପ୍ରଶଂସା କରୁଥିଲେ ।

 

ନିଧି ଅଜା ଗୋକୁଳର କଥା ଶୁଣି କହୁଥିଲେ–ଆରେ ! ଆମ ଗୋକୁଳଟା ସିନା ଆଜି ପାଠ ପଢ଼ିଥିବାରୁ ଆମ ଆଖି ଖୋଲି ଦେଇପାରିଲା । ଆମେ ସବୁ ମୂର୍ଖ ହୋଇ ଆଜିଯାଏ ରହିଛୁ । ଖାଲି ଖାଉଛୁ, ଖଟୁଛୁ । ଦେଶ ବିଦେଶ କଥା କିଛି ଜାଣିପାରୁନୁ । ସତରେ ପାଠର ମହାତ୍ମ୍ୟ କେତେ-?

 

ଗୋକୁଳ ଅଜାଙ୍କ ପାଖକୁ ଲାଗିଯାଇ କହିଲା–ଅଜା ! ପାଠ ପଢ଼ିବା ପାଇଁ ବୟସର କୌଣସି ଆବଶ୍ୟକତା ନାହିଁ । ଯେ କୌଣସି ବୟସରେ ପାଠପଢ଼ି ହେବ । ତୁମକୁ ମୁଁ କାଲିଠାରୁ ପାଠ ପଢ଼ାଇବି । ଅକ୍ଷର ଦୁଇଟା ଚିହ୍ନିଗଲେ କେତେ ସୁବିଧା ହେବ । ଭାଗବତ ଗାଦୀକୁ ମୁଁ ଖଣ୍ଡେ ଦୈନିକ ସମ୍ବାଦପତ୍ର କଟକରୁ ପଠାଇବି । ସେଥିରେ ଦେଶର ବିଦେଶର ସବୁ କଥା ଲେଖା ହୋଇଛି। ତୁମେ ତାକୁ ପଢ଼ି ସବୁକଥା ଜାଣିପାରିବ । ଭୂତପ୍ରେତ ଏସବୁ ବେକାର ଭାବନା ମନରୁ ଦୂରେଇ ଯିବ । ଆମେ ସାକ୍ଷର ହୋଇ ପାରିଲେ ଆମ ଦେଶର ଉନ୍ନତି ହେବ ଓ ନିଜେ ଅନେକ କଥା ଜାଣିବା । ନିଧି ଅଜା ଭଳି ଅନେକ ମଧ୍ୟ ଏ କଥାରେ ଆଗ୍ରହ ପ୍ରକାଶ କରି ଏକ ସ୍ଵରରେ କହିଉଠିଲେ-

 

‘‘ଏବେ ଆମେ ପଢ଼ିବା, ନିଜ ଦେଶ ଗଢ଼ିବା,

ଅଶିକ୍ଷା ଓ କୁସଂସ୍କାର ଆମ ଗାଁରୁ ତଡ଼ିବା ।’’

 

ସେତେବେଳକୁ ରାତ୍ରି ପ୍ରାୟ ୧୦ଟା ପାଖାପାଖି ହୋଇ ଯାଇଥିଲା । ଅନେକ ସ୍ତ୍ରୀ ଲୋକ ଖାଇବାକୁ ଡାକିବାକୁ ଆସି ମଧ୍ୟ ସେଠାରେ ରୁଣ୍ଡ ହୋଇ ଗୋକୁଳର କଥା ଶୁଣୁଥିଲେ । ବିଷ୍ଣୁ ନନା ଭାଗବତ ପୀଠରୁ ଆଳତୀ ଭୋଗ ଆଣି ସମସ୍ତଙ୍କୁ ଦେଲେ । ସମସ୍ତେ ଡର ଭୟ ଓ ଅଶିକ୍ଷାକୁ ଦୂରେଇ ନେବାକୁ ସେଦିନ ଗୋକୁଳ ଆଗରେ ଭାଗବତ ଗାଦି ସମ୍ମୁଖରେ ଶପଥ ନେଲେ । ସମସ୍ତେ ଶେଷରେ ‘‘ଆନନ୍ଦେ ଏକବାର ହରି ବୋଲ’’ କହି ଉଠିଲେ ।

Image

ଗୋକୁଳ ଶେଷରେ ଗାଁ ଲୋକଙ୍କୁ ବୁଝାଇବାକୁ କଳାପୋଲ କଥା ସେମାନଙ୍କୁ ଜଣାଇଲା । ସେଠାରେ ଦଳେ ଚୋର କିପରି ଲୁଚିରହି, ମିଥ୍ୟା ଭୟ ଲୋକଙ୍କୁ ଦେଖାଇ ଅନେକ ଦିନ ହେବ ଡରାଇ ଆସିଥିଲେ । ମିଛରେ କିଳିକିଳା ରଡ଼ି କରି କଳା ବୋଳିହୋଇ ଭୂତ ବନୁଥିଲେ-। ତାହା ଗୋକୁଳ ଲୋକଙ୍କୁ ବୁଝାଇ ଦେଇଥିଲା । ଏବେ ସେମାନଙ୍କୁ ପୁଲିସ ଧରିନେଇଛି ଓ ସେମାନଙ୍କଠାରୁ ବହୁ ଚୋରି ଜିନିଷ ଉଦ୍ଧାର ହୋଇଛି ବୋଲି ଗୋକୁଳ କହିଥିଲା । କେତେବର୍ଷ ଧରି ଲୋକେ ମିଛରେ ଏ ସ୍ଥାନରେ ଭୂତ ଅଛି ବୋଲି ଭାବୁଥିଲେ ! ଚାରିଆଡ଼େ କଳାପୋଲର ଦୁର୍ନାମ ଥିଲା । ଠିକ୍‌ ସେହିସ୍ଥାନ ପରି କୌଣସି ଠାରେ ଭୂତ ନାହାଁନ୍ତି ବୋଲି ସେ କହିଥିଲା-। ଲୋକେ ମଧ୍ୟ ଏଥର ବୁଝିଗଲେ । ମଦନା ଅଜା ଏବେ ବୁଝିଲେ ଯେ ଆପଣା ଛାଏଁ କଳାପୋଲରେ କିଆବୁଦା କିପରି ଚାଲେ ।

 

ସେହିଦିନଠାରୁ ଗାଁରୁ ଅଶିକ୍ଷା ଓ ଡର ଭୟ ଲୋକଙ୍କ ମନରୁ ଦୂରେଇ ଗଲା । ଏବେ ପ୍ରତିବର୍ଷ ସେହି ଗାଁରେ ସଂସ୍କାର ମେଳା ଅନୁଷ୍ଠିତ ହେଉଛି । କୁସଂସ୍କାର ବିରୋଧରେ ଗାଁର ଅନେକ ଲୋକ ଏବେ ଅନ୍ୟମାନଙ୍କୁ ବୁଝାଉଛନ୍ତି । ଗୋକୁଳ ଏବେ ବଡ଼ ଡାକ୍ତର ହୋଇ ଆମେରିକା ଯାଇଛି ।

Image